ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ରଣନୀତି।

ଖୋର୍ଦ୍ଧା : ଦିନକୁ ଦିନ ବଢୁଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । ଏବଂ ସମଗ୍ର ବିଶ୍ୱ କିଭଳି ଏହି ପରିସ୍ଥିତିରୁ ମୁକୁଳିବ ସେ ନେଇ ଏକ ଚାଲେଞ୍ଜ ଭାବେ ମାନବ ସମାଜ ଆଗରେ ଠିଆ ହୋଇଛି । ସମଗ୍ର ବିଶ୍ୱରେ ସମ୍ପ୍ରତି ଦେଖାଦେଇଥିବା ଜଳବାୟୁ ପରିବର୍ତ୍ତନରେ କିଭଳି ଯୁବକମାନଙ୍କୁ ଜଡିତ କରିବା ଏବଂ ଅଭିନବ ସମାଧାନ ଖୋଜିବା ପାଇଁ ଟେକ୍ନୋଲୋଜିର ଶକ୍ତି ବ୍ୟବହାର କରିବା ବର୍ତମାନ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏନେଇ ଆଜି ଖୋର୍ଦ୍ଧା ବରୁଣେଇ ନିକଟରେ ଥିବା KT GLOBAL SCHOOLରେ UNICEF ଏବଂ ୟୁଥ ୱାଟର ପ୍ଲସ ପକ୍ଷରୁ ଏକ ଅନଲାଇନ ସୋସିଆଲ ମିଡ଼ିଆ ଚାଟ ବଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆଜି ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଜଟିଳ ପରିସ୍ଥିତିରେ କିଭଳି ଆମକୁ ଆମ ପକୃତି ପାଇଁ ଲଢେଇ କରିବାକୁ ହେବ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବପୀଢ଼ିଙ୍କୁ କହିଥିଲେ । ସେହିଭଳି ଆଗକୁ ଆସୁଥିବା ଜଳର ଉତ୍କଟ ଅଭାବ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ସେହିଭଳି ୟୁ ରିପୋର୍ଟରେ ଥିବା ୟୁଥଫରୱାଟର ପ୍ଲସ ଚାଟବଟ ପ୍ରୋଗ୍ରାମ ପୃଥିବୀର କୋଣ ଅନୁକୋଣରୁ ଯୁବକମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ସେମାନଙ୍କର କାହାଣୀ, ଚିନ୍ତାଧାରା ଏବଂ ଧାରଣା ବାଣ୍ଟିବା ପାଇଁ ଏକ ସହଜ ପ୍ଲାଟଫର୍ମ ପ୍ରଦାନ କରିଛି । ଆଜିର କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଉତ୍ସାହିତ କରି ୟୁନିସେଫର ୱାଶ ଏବଂ ସିସିଏସ ବିଶେଷଜ୍ଞ ଶିପ୍ରା ସାକ୍ସେନା କହିଛନ୍ତି ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆହ୍ଵାନ ଅଟେ । ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଯୁବକମାନଙ୍କ ଯୋଗଦାନ ଏବଂ ପ୍ରଯୁକ୍ତିବିଦ୍ୟାର ଶକ୍ତି ଉପରେ ଆମେ ବିଶ୍ୱାସ କରୁ । ଯୁବ ସ୍ୱରକୁ ବୃଦ୍ଧି କରିବା, ସଚେତନତା ସୃଷ୍ଟି କରିବା ଏବଂ ଜଳବାୟୁ ଚାମ୍ପିଅନର ଏକ ନୂତନ ପିଢୀକୁ ପ୍ରେରଣା ଦେବା ଆମର ମୁଖ୍ୟ ଲକ୍ଷ ରହିଛି । ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେଟି ଗ୍ଲୋବାଲ ସ୍କୁଲର ନିର୍ଦ୍ଦେଶକ ଡ ରବୀନ୍ଦ୍ରନାଥ ପାଟି କହିଛନ୍ତି ଆମେ ଆମର ପ୍ରାକୃତିକ ସମ୍ପଦର ଅପବ୍ୟବହାର କରିଛୁ ଏବଂ ଆମର ପରବର୍ତ୍ତୀ ପିଢୀକୁ ଏହି ସଙ୍କଟର ସମ୍ମୁଖୀନ ହେବାକୁ ଛାଡିଛୁ । ତେଣୁ ବର୍ତ୍ତମାନ ସମୟ ଆସିଛି ଏକ ଉତ୍ତମ, ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାର । ସେହିପରି ଅନ୍ୟତମ ଅତିଥି ଭାବେ ଯୋଗଦେଇ ୟୁନିସେଫର ଯୋଗାଯୋଗ ତଥା ଡିଜିଟାଲ ମିଡିଆ ଅଧିକାରୀ ଅମିତାୟୁଶ ପ୍ରିୟଦର୍ଶୀ କହିଛନ୍ତି ଯେ ଚାଟବଟ କାର୍ଯ୍ୟକ୍ରମ ଏକ ଇଣ୍ଟରାକ୍ଟିଭ୍ ଏବଂ ଉପଭୋକ୍ତା-ଅନୁକୂଳ । ଇଣ୍ଟରଫେସ ବ୍ୟବହାର କରି ଜଳ ସଂରକ୍ଷଣ, ବିଶୁଦ୍ଧ ଜଳ, ପରିମଳ ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନକୁ ନେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସୁବିଧା କରିଥାଏ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ଭାରତରେ 26 ଲକ୍ଷ ୟୁ ରିପୋଟର୍ସ ଏବଂ 95 ଟି ଦେଶରେ 28 ନିୟୁତ ୟୁ ରିପୋଟର୍ସ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ତଥା କେଟି ଗ୍ଲୋବାଲ ସ୍କୁଲର ସଦସ୍ୟ, ସାତ୍ଵିକ ସୋଲ ଫାଉଣ୍ଡେସନ, ଭରତ ସ୍କାଉଟ୍ସ ଏବଂ ଗାଇଡ୍, ପାଣ୍ଟିସ ଫାଉଣ୍ଡେସନ ଏବଂ ଜାତୀୟ ଯୁବ ପ୍ରକଳ୍ପର ସଦସ୍ୟମାନେ ଯୋଗ ଦେଇଥିଲେ ।

Comments (0)
Add Comment